ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ ର ଶୁଭାରମ୍ଭ କରିଛନ୍ତି।
15 Jun, 2026

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ ର ଶୁଭାରମ୍ଭ କରିଛନ୍ତି।

ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଇତିହାସରେ ଆଜି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସନ୍ନିବେଶିତ ହୋଇଛି। ଭୁବନେଶ୍ୱରଠାରେ ଆନୁଷ୍ଠାନିକ ଭାବେ ଐତିହାସିକ ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ ଅନ୍ତର୍ଗତ  ଓଡ଼ିଶାର ପ୍ରାୟ ୧୧୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ନେଇ ଗୁଜରାଟର ପବିତ୍ର ପ୍ରଭାସ ପାଟଣସ୍ଥିତ ପ୍ରଭୁ ସୋମନାଥଙ୍କ ଧାମ ଅଭିମୁଖେ ବାହାରିଥିବା ସ୍ୱତନ୍ତ୍ର ଟ୍ରେନକୁ ମୁଁ ପତାକା ଦେଖାଇ ଶୁଭାରମ୍ଭ କଲି। ଏହି ଅଭିଯାନ ଆମର ଗଭୀର ଆସ୍ଥା, ଭକ୍ତି ଏବଂ ସାଂସ୍କୃତିକ ଗୌରବର ଏକ ଅନନ୍ୟ ପ୍ରତୀକ। ପୂର୍ବରେ ପ୍ରଭୁ ଲିଙ୍ଗରାଜ ଏବଂ ପଶ୍ଚିମରେ ପ୍ରଭୁ ସୋମନାଥ; ଏହି ଦୁଇ ଦିବ୍ୟ ଶକ୍ତି ସମଗ୍ର ଭାରତବର୍ଷକୁ ଏକତା ଓ ଅବିନାଶୀ ଚେତନାର ସୂତ୍ରରେ ଆବଦ୍ଧ କରି ରଖିଛନ୍ତି। ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ‘ବିକାଶ ଭି, ବିରାସତ ଭି’ ମନ୍ତ୍ରରେ ଅନୁପ୍ରାଣିତ ଏହି ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ ଆୟୋଜନ, ସୋମନାଥ ମନ୍ଦିର ଉପରେ ହୋଇଥିବା ଆକ୍ରମଣର ୧୦୦୦ ବର୍ଷ ଏବଂ ଏହାର ପୁନଃପ୍ରତିଷ୍ଠାର ୭୫ତମ ବର୍ଷର ଅପୂର୍ବ ସଂଯୋଗକୁ ସ୍ମରଣ କରାଉଛି।
ଓଡ଼ିଶା ଏବଂ ସୋମନାଥ ମଧ୍ୟରେ ଏକ ଅତୁଟ ସମ୍ପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ ଏକାମ୍ର କ୍ଷେତ୍ରର ପବିତ୍ର ବିନ୍ଦୁସାଗରର ଜଳ ଏବଂ କେଦାରଗୌରୀ ମନ୍ଦିରର ପବିତ୍ର ମାଟି ପ୍ରଭୁଙ୍କ ଚରଣରେ ଅର୍ପଣ ପାଇଁ ପ୍ରେରଣ କରାଯାଇଛି। ରାଜ୍ୟର ଅସ୍ମିତା, ଗୌରବମୟ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ତଥା ପ୍ରସାର ପାଇଁ ଆମ ସରକାର ସଦାସର୍ବଦା ନିରନ୍ତର ପ୍ରୟାସ ଜାରି ରଖିଛି। ଯାତ୍ରାରେ ସାମିଲ ଥିବା ସମସ୍ତ ତୀର୍ଥଯାତ୍ରୀଙ୍କ ମଙ୍ଗଳମୟ ତଥା ସୁଖଦ ଯାତ୍ରା କାମନା କରିବା ସହ ପ୍ରଭୁଙ୍କ ନିକଟରେ ସମଗ୍ର ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଆନ୍ତରିକ ପ୍ରାର୍ଥନା କରୁଛି।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧