ଶ୍ରୀ ମୋହନ ଚରଣ ମାଝୀ

ଶ୍ରୀ ମୋହନ ଚରଣ ମାଝୀ

ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୧୨ ଜୁନ୍ ୨୦୨୪ରୁ ଓଡ଼ିଶାର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ରାଇକଳା ଗ୍ରାମରେ ଏକ ସାନ୍ତାଳ ଆଦିବାସୀ ସମ୍ପ୍ରଦାୟରେ ୬ ଜାନୁଆରି ୧୯୭୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଚମ୍ପୁଆସ୍ଥିତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରୁ କଳାରେ ସ୍ନାତକ ଓ ପରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ (ଏଲଏଲବି) ଡିଗ୍ରୀ ହାସଲ କରିଥିଲେ । ରାଜନୀତିରେ ଯୋଗଦେବା ଆଗରୁ ସେ ସରସ୍ଵତୀ ଶିଶୁ ମନ୍ଦିର, ଝୁମ୍ପୁରାରେ ଶିକ୍ଷକ ରୂପେ କାର୍ଯ୍ୟରତ ଥିଲେ ।

ଶ୍ରୀ ମୋହନ ଚରଣ ମାଝୀ ୧୯୯୭ ମସିହାରେ ରାଇକଳା ପଞ୍ଚାୟତର ସରପଞ୍ଚ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ପ୍ରଥମେ ୨୦୦୦ ମସିହାରେ କେନ୍ଦୁଝର ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୨୦୦୪, ୨୦୧୯ ଓ ୨୦୨୪ ମସିହାରେ ପୁନର୍ବାର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ନିଜର କାର୍ଯ୍ୟକାଳ ମଧ୍ୟରେ ସେ ଓଡ଼ିଶା ବିଧାନସଭାରେ ଭାରତୀୟ ଜନତା ପାର୍ଟିର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଥିଲେ ।

୨୦୨୪ ସାଧାରଣ ନିର୍ବାଚନରେ ବିଜେପି ୧୪୭ ଟି ଆସନରୁ ୭୮ ଟି ଆସନ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ଓ ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେଇଥିଲେ । ଓଡ଼ିଶାରେ ସାନ୍ତାଳ ଆଦିବାସୀ ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଭାବେ ସେ ଏହି ପଦବୀରେ ଅବସ୍ଥାପିତ ହୋଇଛନ୍ତି ।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ସ୍ଵପ୍ନ ସହ ତାଳଦେଇ, ଓଡ଼ିଶା, ଶ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ ନେତୃତ୍ୱରେ, ASEAN ରାଷ୍ଟ୍ର ସମୂହର ପ୍ରବେଶ ଦ୍ୱାର ଏବଂ ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବରେ ଉଭା ହେବାର ଲକ୍ଷ୍ୟ ନେଇ ନିରନ୍ତର ଅଗ୍ରଗତି କରୁଛି । ଓଡ଼ିଶା, ଶିଳ୍ପ ଓ ବନ୍ଦର ଅଭିମୁଖୀ ବିକାଶ ଏବଂ କୃଷି, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ମହିଳା ସଶକ୍ତିକରଣରେ ମହତ୍ଵପୂର୍ଣ୍ଣ ଅଗ୍ରଗତିକୁ ପ୍ରାଥମିକତା ଦେଇ ସାମଗ୍ରିକ ଏବଂ ସ୍ଥାୟୀ ଅଭିବୃଦ୍ଧି ହାସଲ କରିବାକୁ ପ୍ରତିବଦ୍ଧ ।   

ସାଧାରଣ ଜନତାଙ୍କ ଆପତ୍ତି ଅଭିଯୋଗର ତ୍ଵରିତ ସମାଧାନ ନିମନ୍ତେ ଅଭିଯୋଗ ଶୁଣାଣି ବ୍ୟବସ୍ଥାର ସୁଦୃଢୀକରଣ ପୂର୍ବକ ଆଞ୍ଚଳିକ ଅଭିଯୋଗ ଶୁଣାଣି ମାଧ୍ୟମରେ ତଳସ୍ତରରେ ଗଣତାନ୍ତ୍ରିକ ଶାସନର ବିକେନ୍ଦ୍ରୀକରଣ ସୁନିଶ୍ଚିତ କରି ସେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧