09 Jul, 2026
ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମତ୍ସ୍ୟ ଉତ୍ପାଦନ ପାଇଁ LoAର ଜାତୀୟ ଶୁଭାରମ୍ଭ

ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମତ୍ସ୍ୟ ଉତ୍ପାଦନ ପାଇଁ LoAର ଜାତୀୟ ଶୁଭାରମ୍ଭ

ଭାରତର ସାମୁଦ୍ରିକ ମତ୍ସ୍ୟକ୍ଷେତ୍ର ଓ ପ୍ରଗତିଶୀଳ ‘ନୀଳ ଅର୍ଥବ୍ୟବସ୍ଥା’ ଇତିହାସରେ ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି । ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ସମ୍ମିଳନୀ କକ୍ଷଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକ୍ରିଷ୍ଣନ ମୁକ୍ତ ସାଗରରେ ଦୀର୍ଘସ୍ଥାୟୀ ମତ୍ସ୍ୟ ଉତ୍ପାଦନ ଲାଗି ଉଦ୍ଦିଷ୍ଟ ‘ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ଅନୁମୋଦନ ପତ୍ର (LoA)’ର ଜାତୀୟ ଶୁଭାରମ୍ଭ କରିଛନ୍ତି ।

✅ବର୍ତ୍ତମାନ ସୁଦ୍ଧା ଅଧିକାଂଶ ମାଛଧରା କାର୍ଯ୍ୟ ଉପକୂଳର ୪୦-୫୦ ନଟିକାଲ ମାଇଲ ମଧ୍ୟରେ ସୀମିତ ଥିବାବେଳେ ଗଭୀର ସମୁଦ୍ରର ଅନ୍ତର୍ଜାତୀୟ ଜଳସୀମାରେ ଟୁନା ଭଳି ଉଚ୍ଚ-ମୂଲ୍ୟର ମାଛ ଧରିବା ପାଇଁ ଏହି ନୂତନ ନୀତି ବିରାଟ ସୁଯୋଗ ଆଣିଦେବ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣ କ୍ଷେତ୍ରକୁ ସୁଦୃଢ଼ କରିବ । 
✅ଜାତୀୟ ସମବାୟ ରପ୍ତାନି ଲିମିଟେଡ୍ (NCEL) ସମେତ ବିଭିନ୍ନ ପ୍ରମୁଖ ମତ୍ସ୍ୟ ସମବାୟ ସମିତି ଏବଂ ମାଛଧରା ଜାହାଜର ମାଲିକମାନଙ୍କୁ ସ୍ୱତନ୍ତ୍ର ଅନୁମୋଦନ ପତ୍ର ବଣ୍ଟନ କରାଯାଇଛି, ଯାହା ଦ୍ୱାରା ଯୋଗ୍ୟ ଭାରତୀୟ ଜାହାଜଗୁଡ଼ିକୁ ଦେଶର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ବାହାରେ ଥିବା ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ଓ ଦାୟିତ୍ୱପୂର୍ଣ୍ଣ ଭାବେ ଉଚ୍ଚ-ମୂଲ୍ୟବାନ ମାଛ ଧରିବା ପାଇଁ ଅନୁମତି ମିଳିପାରିବ ।

ସ୍ଥାୟୀ ସାମୁଦ୍ରିକ ମତ୍ସ୍ୟ ସମ୍ପଦର ସୁବିନିଯୋଗ ପାଇଁ "ଲେଟର ଅଫ୍ ଅଥରାଇଜେସନ୍ (LoA)" ପ୍ରଦାନର ରାଷ୍ଟ୍ରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକ୍ରିଷ୍ଣନଜୀ, ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଜୀ ଏବଂ ସମ୍ମାନିତ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ଯୋଗଦେଲି । ଏହି ଅବସରରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ମତ୍ସ୍ୟଜୀବୀ ଓ ମତ୍ସ୍ୟ ଉତ୍ପାଦକ ସଂଗଠନ (FFPOs) କୁ ଅନୁମତି ପତ୍ର ପ୍ରଦାନ କରାଯିବା ସହ ଓଡ଼ିଶାର ସାମୁଦ୍ରିକ ସାମର୍ଥ୍ୟକୁ ନୂଆ ଦିଗ ଦେବାକୁ "ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ"ର ମଧ୍ୟ ଶୁଭାରମ୍ଭ କରାଯାଇଛି, ଯାହା ଆମର ବିପୁଳ ସାମୁଦ୍ରିକ ସମ୍ପଦର ସୁନିୟୋଜିତ ବ୍ୟବହାର ଦିଗରେ ଏକ ଦୂରଦୃଷ୍ଟିସମ୍ପନ୍ନ ପ୍ରୟାସ ।

ଓଡ଼ିଶା ଭିଜନ-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ର ମହତ ଲକ୍ଷ୍ୟ ସହ ସମନ୍ୱିତ ଏହି ମିଶନ ଅଧୀନରେ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ ସହ ଜାହାଜଗୁଡ଼ିକର ଅତ୍ୟାଧୁନିକ ଆଧୁନିକୀକରଣ କରାଯିବାର ବ୍ୟବସ୍ଥା ରହିଛି । ପାରାଦ୍ବୀପ, ଧାମରା ଓ ଗୋପାଳପୁର ଭଳି ବନ୍ଦର ଅଞ୍ଚଳକୁ ଅତ୍ୟାଧୁନିକ ମେରିନ୍ ହବ୍ ଭାବେ ବିକଶିତ କରାଯାଇ ଆମ ଉପକୂଳବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ସର୍ବାଙ୍ଗୀନ ଆର୍ଥିକ ଉନ୍ନତି କରାଯିବ । ପ୍ରଯୁକ୍ତିଭିତ୍ତିକ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ଭାରତର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ଓ ଗଭୀର ସମୁଦ୍ରରେ ସୁରକ୍ଷିତ ଉପଯୋଗିତା ଆରମ୍ଭ କରି ରାଷ୍ଟ୍ରର "ନୀଳ ଅର୍ଥନୀତି" ର ଅଭିବୃଦ୍ଧିରେ ଓଡ଼ିଶା ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିବ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧